Unknown

 

 

 

 

 

 

 

 

 

 

 

ତାପ

ଜ୍ୟୋତିର୍ମୟୀ ମହାନ୍ତି

 

ତାପ

 

ତା’ପ କ’ଣ ?

 

ଏହା ପ୍ରଥମେ ତୁମକୁ ଜାଣିବାକୁ ହେବ ।

 

୧. ଗୋଟିଏ ଗ୍ଲାସ ଆଣି ତାକୁ ଖାଲି ହାତରେ ଛୁଅଁ ।

 

୨. ଏହା ପରେ ଗ୍ଲାସ ଭିତରେ କିଛି ଗରମ ପାଣି ଢାଳ । ଗ୍ଲାସକୁ ହାତରେ ଛୁଅଁ । ତୁମେ କ’ଣ ଅନୁଭବ କରୁଛ ? ଗରମପାଣି ଭରା ଗ୍ଲାସଟି ତୁମ ହାତକୁ ଉଷୁମ ଲାଗିଲା ।

Image

୩. ଖରାରେ କିଛି ସମୟ ଛିଡ଼ା ହୁଅ । ଦେଖିବ ତୁମେ ଗରମବୋଧ କରିବ । ଏହି ଉଷୁମ ବା ଗରମ ଲାଗିବାକୁ ଆମେ କହୁ ବସ୍ତୁଟି ତାପ ପାଇଲା । ତାପ ହେଉଛି ଏକପ୍ରକାର ଶକ୍ତି-। ତାପଶକ୍ତିର ପ୍ରଥମ ଉତ୍ସ ହେଉଛନ୍ତି ସୂର୍ଯ୍ୟ । ଯାନ୍ତ୍ରିକ ଶକ୍ତି, ବିଦ୍ୟୁତ୍ ଶକ୍ତି, ଆଲୋକ ଶକ୍ତି ପରି ତାପ ମଧ୍ୟ ଏକପ୍ରକାର ଶକ୍ତି ।

 

ଆମେ ଜାଣୁ ଯେ ଆଲୋକ ଶକ୍ତି ତରଙ୍ଗ ରୂପରେ ଗତିକରେ । ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ସଙ୍ଗେ ଯଥେଷ୍ଟ ତାପଶକ୍ତି ମଧ୍ୟ ପୃଥ‌ିବୀକୁ ଆସେ । କିଛି ସମୟ ଖରାରେ ଛିଡ଼ା ହେଲେ ଏହା ଆମେ ଅନୁଭବ କରିପାରିବା ।

 

ନିଜେ କର–

୧.

ଉତ୍ତଳ ଯବକାଚ

 

 

 

୨.

ଖଣ୍ଡିଏ କାଗଜ

 

ଗୋଟିଏ ଯବକାଚ ଆଣ । ଏହାକୁ ସୂର୍ଯ୍ୟଙ୍କ କିରଣ ସମ୍ମୁଖରେ ଦେଖାଅ । ଦେଖିବ ଯେ ଯବକାଚରେ ସୂର୍ଯ୍ୟକିରଣ ଆସି ଏକବିନ୍ଦୁରେ ମିଳିତ ହୋଇଛି । ଏହି ବିନ୍ଦୁଟି ଖୁବ୍ ଉଜ୍ଜ୍ୱଳ ଦେଖାଯିବ । ସେହିଠାରେ ଏହି କାଗଜ ରଖ । ଦେଖିବ କିଛି ସମୟ ପରେ କାଗଜଟି ଜଳିଯିବ ।

 

ଏପରି କାହିଁକି ହେଲା–ସୂର୍ଯ୍ୟଙ୍କ କିରଣରେ ଥ‌ିବା ତାପଶକ୍ତି ମିଳିତ ଭାବେ ଯବକାଚ ଦେଇ ଏହି ବିନ୍ଦୁରେ ଠୁଳ ହେଲା । ତେଣୁ ତାହାର ଦାହିକା ଶକ୍ତି ଅଧ‌ିକ ହେଲା ଓ କାଗଜଟିକୁ ଜାଳିଦେଲା । ଗୋଟିଏ ପାତ୍ରରେ କିଛି ଜଳ ନେଇ ତାକୁ ନିଆଁରେ ବସାଅ । ଦେଖିବ ଗରମ ହେବାପରେ ଜଳ ତଳ ଉପର ହୋଇ ଗତି କରୁଛି ଓବାଷ୍ପରେ ପରିଣତ ହେଉଛି । ଏପରି କାହିଁକି ହେଲା ? ଜଳ ନିଆଁଠାରୁ କିଛି ଶକ୍ତି ପାଇଲା । ଏହି ଶକ୍ତି ଅନ୍ୟ କିଛି ନୁହେଁ । ଏହାହେଉଛି ତାପଶକ୍ତି ।

 

ତୁମେ ଜାଣ କି ?

 

(୧) ସୂର୍ଯ୍ୟଙ୍କଠାରୁ ଆଲୋକ ପୃଥ‌ିବୀକୁ ଆସିବାକୁ ୮ ମିନିଟ୍‍ ସମୟ ଲାଗେ ।

 

(୨) ସୂର୍ଯ୍ୟଙ୍କ ବାହ୍ୟ ପୃଷ୍ଠର ତାପମାତ୍ରା ପ୍ରାୟ ଛଅ ହଜାର ଡିଗ୍ରୀ ସେଣ୍ଟିଗ୍ରେଡ୍ ।

 

(୩) ସୂର୍ଯ୍ୟଙ୍କ କେନ୍ଦ୍ର ମଣ୍ଡଳର ତାପ ଦୁଇକୋଟି ଡିଗ୍ରୀ ସେଣ୍ଟିଗ୍ରେଡ୍ । ତେବେ ମନରେ ପ୍ରଶ୍ନ ଆସେ ସୂର୍ଯ୍ୟଙ୍କ ଭିତରେ ଏତେ ତାପ ଆସେ କୁଆଡ଼ୁ ?

 

Image

 

ସୂର୍ଯ୍ୟଙ୍କ ଭିତରେ ଥ‌ିବା ଉଦ୍‌ଜାନ ପ୍ରତି ମୁହୂର୍ତ୍ତରେ ହିଲିୟମ୍‍ ପରମାଣୁରେ ପରିଣତ ହେଉଛି । ଏହା ଫଳରେ ସୂର୍ଯ୍ୟରୁ ଏହି ପ୍ରଚଣ୍ଡ ତାପଶକ୍ତି ଉତ୍ପନ୍ନ ହେଉଛି । ଏହା ସହ ଆଲୋକ ଶକ୍ତି ମଧ୍ୟ ଉତ୍ପନ୍ନ ହେଉଛି । ଏହା ଏକ ଜଟିଳ ପ୍ରକ୍ରିୟା । ସୂର୍ଯ୍ୟଙ୍କ ମଧ୍ୟରେ ପ୍ରଚୁର ପରିମାଣରେ ଉଦ୍‌ଜାନ ରହିଅଛି । ଫଳରେ ଏହି କ୍ରିୟା କୋଟି କୋଟି ବର୍ଷ ଧରି ଚାଲିଅଛି ।

 

ବର୍ତ୍ତମାନ ତୁମେ ଜାଣିଥିବା ତାପର କେତୋଟି ଉତ୍ସର ତାଲିକା କର । ତାଲିକାକୁ ଦେଖି କେଉଁ ଗୁଡ଼ିକ ତାପର ଉତ୍ସ ଓ କେଉଁ ଗୁଡ଼ିକ ନୁହେଁ ତା’ ନିଜେ ବାଛିବାକୁ ଚେଷ୍ଟା କର ।

 

୧-ଚନ୍ଦ୍ର, ୨-ନକ୍ଷତ୍ର, ୩-ଜଳନ୍ତା କାଠ, ୪-ଇଲେକ୍‌ଟ୍ରି ହିଟର, ୫-ଲାଗିଥିବା ଆଞ୍ଚ, ୬-ଗଛ ।

Image

 

ତାପଯୋଗୁଁ ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ଘଟେ । ଆମେ ଜାଣୁ ଯେ ସମସ୍ତ ପଦାର୍ଥ ତିନିଗୋଟି ଅବସ୍ଥା ଦେଖାଯାଏ ।

 

(୧) କଠିନ, (୨) ତରଳ, (୩) ଗ୍ୟାସୀୟ । କଠିନ ପଦାର୍ଥକୁ ତାପ ଦେଲେ ତାହା ତରଳି ଯାଏ ।

 

ନିଜେ କର–(୧) ଗୋଟିଏ ଗ୍ଲାସରେ କିଛି ବରଫ ପାଣି ଖରାରେ ରଖ । (୨) ଖଣ୍ଡେ କାଚକୁ ଉଚ୍ଚ ତାପମାତ୍ରାରେ ଗରମ କର । (୩) ଖଣ୍ଡେ ତମ୍ବା ତାରକୁ ଉଚ୍ଚ ତାପମାତ୍ରାରେ ଗରମ କର ।

 

ସେହିପରି ତରଳ ପଦାର୍ଥ ତାପ ପାଇଲେ ବାଷ୍ପରେ ପରିଣତ ହୁଏ । ତୁମ ମା’ ଭାତ ରାନ୍ଧୁଥିବା ବେଳେ ଫୁଟୁଥିବା ଭାତ ହାଣ୍ଡିକୁ ଲକ୍ଷ କର । ଦେଖିବ ସେଥିରୁ କିଛି ବାଷ୍ପ ବାହାରୁ ଅଛି । ହାଣ୍ଡିରେ ଥ‌ିବା ଜଳ ତାପ ପାଇ ଏପରି ବାଷ୍ପ ଆକାରରେ ବାହାରୁଛି । ଏହି ହାଣ୍ଡି ଉପରେ ଏକ ଢାଙ୍କୁଣୀ ଦେଇଦିଅ । ଢାଙ୍କୁଣୀକୁ କିଛି ସମୟ ପରେ ଟେକିଲେ ତା’ ଦେହରୁ ଜଳ ବାହାରିବ ।

 

ଏହି ତାପ ମୁଖ୍ୟତଃ ଆମେ କାଠ, କୋଇଲା ଆଦିକୁ ଜାଳି ପାଇଥାଉ । ତେବେ ମନରେ ପ୍ରଶ୍ନ ଉଠେ କାଠ, କୋଇଲା ପ୍ରଭୃତି ତାପ ପାଇଲେ କେଉଁଠୁ ? ଆମେ ଜାଣୁ ସୂର୍ଯ୍ୟ ହେଉଛନ୍ତି ତାପ ଓ ଆଲୋକ ଶକ୍ତିର ମୂଳ ଉତ୍ସ । କୌଣସି କାରଣରୁ ଗଛଗୁଡ଼ିକ ମାଟିତଳେ ବହୁଦିନ ରହିଗଲେ ପଥର କୋଇଲା ହୁଏ । ସୂର୍ଯ୍ୟଙ୍କ ତାପ ଓ ଆଲୋକ ଯୋଗୁଁ ଏହା କୋଇଲାରେ ପରିଣତ ହୁଏ । ଏହି କୋଇଲାକୁ ଜାଳି ଆମେ ତାପ ପାଉ । ଏହା କଳକାରଖାନା ଓ ରେଳଗାଡ଼ିକୁ ଜଳାଏ ।

 

ସେହିପରି ଖଣିଜ ତୈଳରୁ ମଧ୍ୟ ଆମେ ତାପଶକ୍ତି ପାଇଥାଉ । କୌଣସି କାରଣ ବଶତଃ ଭୂମି ତଳେ ପୋତି ହୋଇଥିବା ପ୍ରାଣୀ ଦେହରୁ ଭୂମି ତଳର ଉତ୍ତାପ ଓ ଚାପ ପ୍ରଭାବରୁ ଖଣିଜ ତୈଳ ମିଳିଥାଏ । ଏଥିରୁ ପାଉଥ‌ିବା କିରୋସିନ୍‌କୁ ଆମେ ବ୍ୟବହାର କରି ଡିବି, ଲଣ୍ଠନ ଜାଳୁ । ପେଟ୍ରୋଲ ସାହାଯ୍ୟରେ ଗାଡ଼ି ପ୍ରଭୃତି ଚାଲିଥାଏ ।

 

ଆମର ଦୈନନ୍ଦିନ ଜୀବନରେ ଏହି ତାପଶକ୍ତି ଖୁବ୍ ଦରକାରରେ ଆସିଥାଏ । ତାପଶକ୍ତି ଆମକୁ ଶୀତରୁ ରକ୍ଷା କରେ । ଆମ ରୋଷେଇରେ ମଧ୍ୟ ଏହା ସାହାଯ୍ୟ କରେ । ରାନ୍ଧିବା ପାଇଁ ଆମେ ତାପଶକ୍ତି ବିଭିନ୍ନ ପ୍ରକାରରେ ପାଇଥାଉ । ବିଦ୍ୟୁତ୍ ଚୁଲିରୁ ତାପଶକ୍ତି ମିଳେ । ସୌର ଚୁଲିରୁ ମଧ୍ୟ ତାପଶକ୍ତି ମିଳେ । ମାତ୍ର କାଠ ଓ କୋଇଲାରୁ ପାଉଥ‌ିବା ତାପଶକ୍ତିକୁ ଅନେକ ରୋଷେଇରେ ବ୍ୟବହାର କରନ୍ତି । କାରଣ ଏହାକୁ ପାଇବ ସୁବିଧା ଅଟେ ।

 

ଏ ତ ଗଲା ତାପର କଥା । ବର୍ତ୍ତମାନ ତାପମାତ୍ରା ବିଷୟରେ କିଛି କହିବା ।

 

ଆମେ ଜାଣୁ ଯେ ତାପ ହେଉଛି ଏକ ଶକ୍ତି । ମାତ୍ର ତାପମାତ୍ରା ହେଉଛି ବସ୍ତୁର ଏକ ଅବସ୍ଥା ।

Image

ଗୋଟିଏ ଟେବୁଲ୍ ଉପରେ ତିନିଗୋଟି ପାତ୍ର ରଖ । ପ୍ରଥମ ପାତ୍ରରେ କିଛି ବରଫ, ଦ୍ଵିତୀୟ ପାତ୍ରରେ ଉଷୁମ ପାଣି ଓ ତୃତୀୟ ପାତ୍ରରେ ଖାଲି ପାଣି ରଖ ।

 

(୧) ପ୍ରଥମ ପାତ୍ରରେ କିଛି ସମୟ ହାତକୁ ବୁଡ଼ାଇ ରଖ ।

 

(୨) ଏହାପରେ ଦ୍ଵିତୀୟ ପାତ୍ରରେ ଓ ତୃତୀୟ ପାତ୍ରରେ ହାତକୁ ବୁଡ଼ାଇ ରଖ ।

 

ପ୍ରଥମେ ପାତ୍ରରେ ହାତ ବୁଡ଼ାଇଲେ ଆମେ ଅନୁଭବ କରିବା ଯେ ହାତକୁ ଖୁବ୍ ଥଣ୍ଡା ଲାଗୁଛି । ଦ୍ୱିତୀୟ ପାତ୍ର ହାତକୁ ବେଶ୍ ଆରମ ଲାଗୁଛି । ଶେଷରେ ଥ‌ିବା ପାତ୍ର ବାଷ୍ପୀୟ ପାତ୍ରର ପାଣି ହାତକୁ ବିଶେଷ କିଛି ଲାଗୁନାହିଁ । ଆମ ମନରେ ପ୍ରଶ୍ନ ଆସେ ଆମ ହାତକୁ ବିଭିନ୍ନ ପ୍ରକାରର ଏହି ଅନୁଭବ କେଉଁଠୁ ଆସିଲା । ଆମେ ଏତିକି ଜାଣିଲୁ ଯେ ଏହା ପଦାର୍ଥର ଅବସ୍ଥା ଉପରେ ନିର୍ଭର କରେ ।

 

ପଦାର୍ଥର ଏହି ଅବସ୍ଥା ହିଁ ହେଲା ତାପମାତ୍ରା ।

 

ତୁମେ କ’ଣ ଅନୁଭବ କରୁଛ ?

 

ଏହି ତାପମାତ୍ରା ମାପିବା ପାଇଁ ଆମେ ଏକ ଯନ୍ତ୍ର ବ୍ୟବହାର କରୁ । ଯନ୍ତ୍ରଟିର ନାମ ଥର୍ମୋମିଟର । ଆମକୁ ଜ୍ଵର ହେଲେ ଆମ ଦେହରେ ଉଷ୍ମତା ବଢ଼ିଯାଏ । ଫଳରେ ଆମ ଦେହର ତାପମାତ୍ରା ବୃଦ୍ଧିପାଏ । ଶୀତଦିନେ କିଛି ସମୟ ବାହାରେ ଛିଡ଼ାହେଲେ ଆମକୁ ଥଣ୍ଡା ଲାଗେ । ଆମ ଶରୀରର ତାପମାତ୍ରା କମିଯାଏ । ତାପ ଠିକ୍‍ କେତେ ବଢ଼ିଲା ବା କମିଲା ତା’ ଆମେ ବସ୍ତୁକୁ ଛୁଇଁ କହିପାରିବା ନାହିଁ । ସେଥିପାଇଁ ଥର୍ମୋମିଟର ବ୍ୟବହାର କରୁ । କାରଣ କୌଣସି ବସ୍ତୁକୁ ଛୁଇଁଲେ ତାହାର ତାପମାତ୍ରା ଆମେ ଠିକ୍ ରୂପେ ଜାଣିପାରିବା ନାହିଁ । କେବଳ ଥର୍ମୋମିଟର ହିଁ ଆମକୁ ସଠିକ୍‍ ତାପମାତ୍ରା କହିପାରିବ । ତୁମ ଘରେ ପ୍ରାୟ ଥର୍ମୋମିଟର ଥିବ । ଏହାକୁ ଧରି ଏହା ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କର ।

 

ଏହି ଥର୍ମୋମିଟର ବିଭିନ୍ନ ପ୍ରକାର ଥାଏ । ଥର୍ମୋମିଟରରେ ସାଧାରଣତଃ ତିନି ପ୍ରକାର ସ୍କେଲ ବ୍ୟବହାର ହୋଇଥାଏ । ସେହିପରି ମାପ ପାଇଁ ବିଭିନ୍ନ ପ୍ରକାରର ଥର୍ମୋମିଟର ଥାଏ । ପାରଦ ଓ ସୁରାସାର ଭଳି କେତେକ ପଦାର୍ଥ ଏହି ତାପମାନ ମଧ୍ୟରେ ବ୍ୟବହାର କରାଯାଇଥାଏ । କାରଣ ଏଗୁଡ଼ିକ ତାପ ପାଇଲେ ସମ ଭାବରେ ପ୍ରସାରିତ ହୁଏ ଓ ତାପମାତ୍ରା ସହଜରେ ମପାଯାଇପାରେ । ଏଗୁଡ଼ିକ ମଧ୍ୟ ଅନ୍ୟାନ୍ୟ ତରଳ ପଦାର୍ଥ ପରି କାଚରେ ଲାଗିଯାଆନ୍ତି ନାହିଁ । କାରଣ କାଚ ଦ୍ଵାରା ଏମାନଙ୍କୁ ଭଲଭାବରେ ପଢ଼ନ୍ତୁ ।

 

ତୁମେ ଲକ୍ଷ୍ୟ କରିଥିବ ତୁମକୁ ଜ୍ଵର ହେଲାବେଳେ ତୁମ ମା’ କିମ୍ବା ବାବା ଏହି ତାପମାନ ଯନ୍ତ୍ରଟିକୁ ନେଇ ତୁମ ଜିଭ ତଳେ ଦିଅନ୍ତି । ସମୟେ ସମୟେ କାଖ ତଳେ ମଧ୍ୟ ଦିଅନ୍ତି । ଏବେ ଏହି ଥର୍ମୋମିଟରରେ ଥ‌ିବା ତିନିଗୋଟି ସ୍କେଲ ବିଷୟରେ କିଛି ଆଲୋଚନା କରିବା । ସେହି ସ୍କେଲଗୁଡ଼ିକର ନାମ ହେଲା–

 

୧-ସେଲ୍‌ସିୟସ୍, ୨-ଫାରେନ୍‌ହାଇଟ୍, ୩-ରୋମର । ଆମେ ଜାଣୁ ଯେ ଯେଉଁ ତାପମାତ୍ରାରେ ଜଳ ବରଫ ହୁଏ ତାହାକୁ ହିମାଙ୍କ ଓ ଯେଉଁ ତାପମାତ୍ରାରେ ଜଳ ଫୁଟି ବାଷ୍ପରେ ପରିଣତହୁଏ ତାହାକୁ ସ୍ଫୁଟନାଙ୍କ କୁହାଯାଏ । ସେଲ୍‌ସିୟସ୍ ସ୍କେଲରେ ହିମାଙ୍କ ୦° ସେ ଓ ସ୍ଫୁଟନାଙ୍କ ୧୦୦° ସେ ଫାରେନ୍‌ହାଇଟ୍ ସ୍କେଲରେ ହିମାଙ୍କ ୩୨° ଓ ସ୍ଫୁଟନାଙ୍କ ୨୧୨° । ରୋମର ସ୍କେଲରେ ଜଳର ହିମାଙ୍କ ୦° ଓ ସ୍ଫୁଟନାଙ୍କ ୮୦° । ଏସବୁ ବ୍ୟତୀତ କେଲଭିନ୍‍ ନାମକ ମଧ୍ୟ ଆଉ ଏକ ତାପମାନ ଯନ୍ତ୍ର ଅଛି ।

 

ତୁମକୁ ଜ୍ଵର ହେଲେ ତୁମ ମା କୁହନ୍ତି ଯେ ଶହେ କି ଦୁଇଶହ ଜ୍ଵର ଅଛି । ତୁମେ ଜାଣ କି ଏହା କେଉଁ ସ୍କେଲରେ ମପାଯାଏ ? ଏହା ଫାରେନ୍‍ହାଇଟ୍ ସ୍କେଲରେ ମପାଯାଏ । ଏହି ସ୍କେଲରେ ଜଣେ ମଣିଷ ଦେହର ସାଧାରଣ ତାପମାତ୍ରା ୯୮.୪° ଅଟେ । ଏଥିରୁ ବଢ଼ିଗଲେ ଆମେ କହୁ ଆମକୁ ଜ୍ଵର ହୋଇଛି । ଅନେକଙ୍କ ଘରେ ସେଲ୍‌ସିୟସ୍ ସ୍କେଲ ଥିବା ଥର୍ମୋମିଟର ବ୍ୟବହାର କରାଯାଏ । ଏହି ସେଲ୍‌ସିୟସ୍‍ ସ୍କେଲରେ ମଣିଷ ଦେହର ତାପମାତ୍ରା ୩୭°ସେ ଅଟେ-। ଏଥିରୁ ଅଧିକ ହେଲେ ଆମେ ଜ୍ଵର ଭୋଗ କରୁ ।

 

ଆଜିକାଲି ଟେଲିଭିଜନରେ ବିଭିନ୍ନ ସହରର ତାପମାତ୍ରା ଘୋଷଣା କରାଯାଉଛି । କେଉଁ ସହରରେ ସବୁଠାରୁ ଅଧିକ ତାପମାତ୍ରା କେତେ ରହୁଛି ତୁମେ ଲକ୍ଷ୍ୟ କର । ଆହୁରି ମଧ୍ୟ ଲକ୍ଷ୍ୟ କର ଏହି ତାପମାତ୍ରା କହିଲା ବେଳେ ଘୋଷକ କେଉଁ ସ୍କେଲର ସାହାଯ୍ୟ ନେଉଛନ୍ତି । ଆମ ଦେଶର ସବୁଠାରୁ ଗରମ ସ୍ଥାନ ଓ ସବୁଠାରୁ ଶୀତଳତମ ସ୍ଥାନର ତାପମାତ୍ରା ଜାଣିବାକୁ ଚେଷ୍ଟା କର-

 

ତାପ ହେଉଛି ଏକ ଶକ୍ତି । ମାତ୍ର ତାପମାତ୍ରା ହେଉଛି ବସ୍ତୁର ଏକ ଅବସ୍ଥା । ତାପକୁ କ୍ୟାଲୋରୀ ମିଟରରେ ମପାଯାଏ । ମାତ୍ର ତାପମାତ୍ରାକୁ ଥର୍ମୋମିଟରରେ ମପାଯାଏ । ବସ୍ତୁ ତାପ ଗ୍ରହଣ କଲେ ଉତ୍ତପ୍ତ ହୁଏ । ଫଳରେ ତା’ର ତାପମାତ୍ରା ବୃଦ୍ଧି ପାଏ । ତାପ ହରାଇଲେ ଶୀତଳ ହୁଏ-। ଫଳରେ ତା’ର ତାପମାତ୍ରା କମିଯାଏ ।

 

(୧) ଗୋଟିଏ ବଡ଼ପାତ୍ର ଓ ଆଉ ଗୋଟିଏ ସାନପାତ୍ର ଆଣ I ଦୁଇଟିଯାକ ପାତ୍ରକୁ ଗରମ ପାଣିଦ୍ଵାରା ପୂର୍ଣ୍ଣ କର ।

 

(୨) ଦୁଇଖଣ୍ଡ ସମାନ ସାଇଜ୍‌ର ବରଫ ଆଣ । ପ୍ରତ୍ୟେକ ଖଣ୍ଡକୁ ଗୋଟିଏ ପାତ୍ରରେ ରଖି ଦୁଇ ପାତ୍ରର ପାଣିକୁ ଭଲ ଭାବରେ ଗୋଳାଅ । ଦେଖିବ କେଉଁ ପାତ୍ରଟିର ପାଣି ଅଧିକ ଥଣ୍ଡା ଲାଗୁଛି । ସାନ ପାତ୍ରଟିର ପାଣି ଅଧିକ ଥଣ୍ଡା ଲାଗୁଛି । କାରଣ ସାନପାତ୍ରଟିରେ କମ୍ ପାଣି ଥିବାରୁ ଏହା ଶୀଘ୍ର ବରଫଦ୍ଵାରା ଶୀତଳ ହୋଇଗଲା । କାରଣ ତାପମାତ୍ରା ବସ୍ତୁର ପରିମାଣ ଉପରେ ନିର୍ଭର କରେ । ଭିନ୍ନ ଭିନ୍ନ ପଦାର୍ଥକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ଭିନ୍ନ ଭିନ୍ନ ପରିମାଣରେ ତାପଶକ୍ତି ଆବଶ୍ୟକ ହୁଏ । ଉଦାହରଣ ସ୍ଵରୂପ ଆଲୁମିନିୟମ୍ ଓ ତମ୍ବାର ଦୁଇଟି ତାରକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ପର୍ଯ୍ୟନ୍ତ ଗରମ କଲେ ଆମେ ଦେଖିବା ଯେ ତାପର ପରିମାଣ ମଧ୍ୟ ଭିନ୍ନ ଭିନ୍ନ ହେବ । ଏହି ତାପଶକ୍ତିକୁ ଆମେ ଘରେ, ବାହାରେ, କଳକାରଖାନାରେ ବହୁ କାର୍ଯ୍ୟରେ ଲଗାଇ ଥାଉ । କୋଇଲା, ପେଟ୍ରୋଲ, ଡିଜେଲ୍ ଆଦି ଜାଳିଲେ ତାପଶକ୍ତି ଜାତ ହୁଏ ।

Image

ଏହି ତାପଶକ୍ତି ବଳରେ ରେଳଗାଡ଼ି, ମଟରଗାଡ଼ି, ଟ୍ରାକ୍ଟର, ଉଡ଼ାଜାହାଜ ଓ ନାନାଦି କଳକାରଖାନା ଚାଲେ । ଏଠାରେ ତାପଶକ୍ତି, ଯାନ୍ତ୍ରିକ ଶକ୍ତିରେ ପରିଣତ ହୋଇ ଏସବୁ କାମ କରିପାରେ । ଏଥିରୁ ତୁମେ ଜାଣିଲ ଯେ ତାପଶକ୍ତି ବଳରେ ଗାଡ଼ି ମଟର ଚାଲେ । ତାପଶକ୍ତିକୁ ମଧ୍ୟ ଚିକିତ୍ସା କାମରେ ଲଗାଯାଏ ।

ତାପ ପାଇଲେ ପଦାର୍ଥ ପ୍ରସାରିତ ହୁଏ । ଏହି ତାପ ଆମପାଇଁ ଆହୁରି ଏକ ବଡ଼ କାମ କରେ । ସୂର୍ଯ୍ୟଙ୍କ ଆଲୋକରୁ ଉତ୍ତାପ ଗ୍ରହଣ କରି ଗଛର ସବୁଜ ପତ୍ର ଖାଦ୍ୟ ତିଆରି କରେ । ଆମେ ସେହି ଖାଦ୍ୟକୁ ଖାଇ ବଞ୍ଚିଥାଉ ।

ତାପ ନ ପାଇଲେ ମଧ୍ୟ ମଞ୍ଜିରୁ ଗଜା ହେବ ନାହିଁ ।

ନିଜେକର–ତୁମେ କିଛି ମୁଗ ଆଣ । ଏହାକୁ କିଛି ସମୟ ପାଣିରେ ବତୁରାଇ ରଖ । ଏହାପରେ କିଛି ବତୁରା ମୁଗକୁ ନେଇ ଦୁଇଟି ସରୁ କପଡ଼ାରେ ବାନ୍ଧି ଅଲଗା ଅଲଗା ପୁଡ଼ା କର । ଗୋଟିଏ ପୁଡ଼ାକୁ ତୁମ ଫ୍ରିଜ୍ ମଧ୍ୟରେ ରଖ ଓ ଅନ୍ୟ ପୁଡ଼ାଟି ବାହାରେ ରଖ । ଗୋଟିଏ ଦିନ ପରେ ପୁଡ଼ା ଖୋଲି ଦେଖ, ଦେଖିବ ଯେ ବାହାରେ ମୁଗ ମଞ୍ଜିରୁ ଅଳ୍ପ ଅଳ୍ପ ଗଜା ବାହାରିଛି । ଫ୍ରିଜ୍ ମଧ୍ୟରେ ମୁଗ ମଞ୍ଜିରୁ ଆଦୌ ଗଜା ବାହାରି ନାହିଁ । ଏହାର କାରଣ କ’ଣ ଚିନ୍ତାକର । ଫ୍ରିଜ୍ ମଧ୍ୟରେ ଥ‌ିବା ମୁଗ ପୁଡ଼ିଆଟି ତାପ ପାଇଲା ନାହିଁ । ଫଳରେ ସେ ମଞ୍ଜିରୁ ଗଜା ବାହାରିଲା ନାହିଁ । ଏଥିରୁ ଆମେ ଜାଣିଲୁ ଯେ, ମଞ୍ଜିରୁ ଗଜା ବାହାରିବା ପାଇଁ ତାପ ଏକାନ୍ତ ଆବଶ୍ୟକ ।

ଆମେ ଏକ କାଚ ଗ୍ଲାସରେ କିଛି ଗରମ ପାଣି ଢାଳିଦେଲେଏହା ଫାଟିଯାଏ ।

ଚିନ୍ତାକର–ଏପରି ହେବାର କାରଣ କ’ଣ ? କାଚ ଗ୍ଲାସର ଭିତର ପଟ ଗରମ ପାଣିର ସଂସ୍ପର୍ଶରେ ଆସି ପ୍ରସାରିତ ହୁଏ । ମାତ୍ର ବାହାର ପଟର କାଚର ପ୍ରସାରିତ ହୁଏ ନାହିଁ କିମ୍ବା ଖୁବ୍ କମ୍‍ ହୁଏ । ଫଳରେ ଗ୍ଲାସଟି ଫାଟିଯାଏ ।

 

କୌଣସି ପଦାର୍ଥକୁ ଗରମ କଲେ ତା’ର ଅଣୁର ଗତି ବଢ଼େ । ଫଳରେ ସେମାନେ ପରସ୍ପର ଦେହରେ ବାଡ଼େଇ ହୋଇ ପରସ୍ପରକୁ ଠେଲିବାକୁ ଚେଷ୍ଟା କରନ୍ତି । ଏହି କାରଣ ଯୋଗୁଁ ପଦାର୍ଥଟି ପ୍ରସାରିତ ହୁଏ । ତୁମ ଦୈନନ୍ଦିନ ଜୀବନରେ ତୁମେ ଏହାର ବହୁ ଉଦାହରଣର ସମ୍ମୁଖୀନ ହୋଇଥାଅ ।

 

(୧) ଖରାଦିନେ ତୁମ ସାଇକେଲ ଟ୍ୟୁବ୍ ଫାଟିଯାଏ । କାରଣ ଏହା ଭିତରେ ଥ‌ିବା ବାୟୁ, ବାୟୁମଣ୍ଡଳର ଉଚ୍ଚ ଚାପ ଯୋଗୁଁ ପ୍ରସାରିତ ହୋଇ ଟ୍ୟୁବ୍‌କୁ ଫଟାଇ ଦିଏ ।

 

(୨) ତୁମେ ଲକ୍ଷ୍ୟ କରିଥିବ ଦୁଇଖଣ୍ଡ ରେଳ ଧାରଣାର ସଂଯୋଗ ସ୍ଥଳରେ କିଛି ଫାଙ୍କ ଥାଏ । ରେଳଗାଡ଼ି ଯାଉଥ‌ିବା ବେଳେ ତା’ର ଚକ ଧାରଣା ସହ ଖୁବ୍ ଜୋରରେ ଘଷି ହୁଏ ଫଳରେ ରେଳ ଧାରଣା ଉତ୍ତପ୍ତ ହୋଇ ତା’ର ଦୈର୍ଘ୍ୟ ପ୍ରସାରିତ ହୁଏ । ଫାଙ୍କ ନ ଥିଲେ ଧାରଣାଗୁଡ଼ିକ ବଙ୍କା ହୋଇ ଦୁର୍ଘଟଣା ଘଟାଉ ଥାଆନ୍ତା ।

 

Image

 

ନିଜେ କର–ପରୀକ୍ଷା ପାଇଁ ଏକ ଧାତବ ଗୋଲକ ଓ ରିଙ୍ଗ ନିଅ । ଯେପରି ଗୋଲକଟି ରିଙ୍ଗର ଧାର ସହ ଲାଗି ମଧ୍ୟ ଗଳି ଯାଉଥିବ । ବର୍ତ୍ତମାନ ଗୋଲକଟିକୁ ଗରମ କରାଯାଉ । କିଛି ସମୟ ଗରମ କରି ତାକୁ ପୂର୍ବର ରିଙ୍ଗ ମଧ୍ୟ ଦେଇ ଗଳାଇବାକୁ ଚେଷ୍ଟା କର । ବର୍ତ୍ତମାନ ଦେଖିବ ଯେ ଗୋଲକଟି ଆଉ ପୂର୍ବପରି ସହଜରେ ଗଳୁ ନାହିଁ । ଆମେ ଏଥିରୁ ଜାଣିଲୁ ଯେ ତାପ ଗ୍ରହଣ ପରେ ଏହାର ଆୟତନ ବୃଦ୍ଧି ପାଇଛି । ଥଣ୍ଡା ହେଲା ପରେ ଦେଖିବ ଯେ ସେହି ବଲ୍‌ବଟି ପୁନଶ୍ଚ ରିଙ୍ଗ ଭିତରେ ଗଳିଯିବ । ଏଥିରୁ ଆମେ ଜାଣିଲୁ ଯେ ପଦାର୍ଥ ଥଣ୍ଡା ହେଲେ ସଙ୍କୁଚିତ ହୁଏ । କଠିନ ପଦାର୍ଥ ପରି ତରଳ ପଦାର୍ଥ ମଧ୍ୟ ପ୍ରସାରିତ ହୁଏ ।

 

ନିଜେକର–ଗୋଟିଏ ବୋତଲ ଆଣ । ସେଥିରେ କିଛି ପାଣି ଆଣ । ତା’ ମୁହଁକୁ ଏକ କର୍କଦ୍ୱାରା ନିବୁଜ ଭାବେ ବନ୍ଦ କର । ଏହି କର୍କ ମଧ୍ୟ ଦେଇ ଏକ ସରୁ କାଚନଳୀ ପ୍ରବେଶ କରାଯାଉ ଯେପରିକି କାଚନଳୀର କିଛି ଅଂଶ ଜଳ ମଧ୍ୟରେ ପ୍ରବେଶ କରିବ । କାଚନଳୀ ମଧ୍ୟରେ ଥ‌ିବା ଜଳପତ୍ତନକୁ ଲକ୍ଷ୍ୟ କର । ଏହାପରେ ବୋତଲକୁ ଧୀରେ ଧୀରେ ଗରମ କର । ଦେଖିବ ଯେ କିଛି ସମୟ ଗରମ କଲାପରେ ନଳୀର ଜଳପତ୍ତନ ଆସ୍ତେ ଆସ୍ତେ ଉପରକୁ ଉଠୁଛି । ଏଥିରୁ ଆମେ ପ୍ରମାଣ ପାଇଲୁ ଯେ ତରଳ ପଦାର୍ଥ ମଧ୍ୟ ତାପ ପାଇଲେ ପ୍ରସାରିତ ହୋଇଥାଏ ।

 

କଠିନ ପରି ତରଳରୁ ତାପ ଅପସାରଣ କରି ଶୀତଳ କଲେ ଏହା ସଙ୍କୁଚିତ ହୁଏ । ମାତ୍ର ଜଳ ହେଉଛି ଏକ ବ୍ୟତିକ୍ରମ । ଜଳ ଶୀତଳ ହେଲେ ଏହା ବରଫରେ ପରିଣତ ହୁଏ । ମାତ୍ର ଏହା ସଙ୍କୋଚନ ପରିବର୍ତ୍ତେ ପ୍ରସାରିତ ହୋଇଥାଏ । ଏହା ଫଳରେ ବରଫର ଓଜନ ନିଜ ଆୟତନ ବିଶିଷ୍ଟ ଜଳର ଓଜନଠାରୁ କମ୍‍ ହୁଏ । ଜଳର ଏହି ଗୁଣ ଯୋଗୁଁ ଶୀତଦିନେ ମେରୁ ଅଞ୍ଚଳର ଜଳଜୀବମାନେ ବଞ୍ଚିରହି ପାରନ୍ତି ।

 

କାହିଁକି ? ଶୀତଦିନେ ମେରୁ ଅଞ୍ଚଳର ଜଳ ବହୁ ପରିମାଣରେ ବରଫ ପାଲଟି ଯାଏ । ବରଫ ଜଳଠାରୁ ହାଲୁକା ଅଟେ ଓ ତାପକୁ ପରିବହନ କରିପାରେ ନାହିଁ । ସମୁଦ୍ରର ଉପରିଭାଗ ଜଳ ବରଫରେ ପରିଣତ ହୋଇଥାଏ । ବରଫ ଉପରେ ଭାସି ରହିଥ‌ିବା ଯୋଗୁଁ ନିମ୍ନକୁ ବାହାରର ଥଣ୍ଡା ପ୍ରବେଶ କରିପାରେ ନାହିଁ । ଫଳରେ ତଳ ସ୍ତରରେ ଜଳ ବରଫ ହୋଇପାରେ ନାହିଁ । ଏହା ଅପେକ୍ଷାକୃତ ଉଷ୍ମ ରହେ ଓ ଏଥ‌ିରେ ପ୍ରାଣୀମାନେ ବଞ୍ଚିପାରନ୍ତି ।

 

ଗ୍ୟାସୀୟ ପଦାର୍ଥ ମଧ୍ୟ ତାପ ପାଇଲେ ପ୍ରସାରିତ ହୁଅନ୍ତି ।

 

ନିଜେ କର–ଗୋଟିଏ ପୋଡ଼ା ବିଦ୍ୟୁତ୍ ବଲ୍‌ବ ସଂଗ୍ରହ କର । ଏହାର ଫିଲାମେଣ୍ଟକୁ ଆସ୍ତେ ବାହାର କରି ଆଣ । ତା’ ମୁହଁରେ ଗୋଟିଏ ବେଲୁନ୍ ବାନ୍ଧି ଦିଅ । ବର୍ତ୍ତମାନ ବଲ୍‌ବଟିକୁ ଧୀରେ ଧୀରେ ଉତ୍ତପ୍ତ କର । ଦେଖିବ ଯେ ବେଲୁନ୍‌ଟି ଆସ୍ତେ ଆସ୍ତେ ଫୁଲିବ । ଏହାର କାରଣ ହେଉଛି ଯେ ବଲ୍‌ବଟିକୁ ଉତ୍ତପ୍ତ କରିବା ଦ୍ୱାରା ଏହା ମଧ୍ୟରେ ଥ‌ିବା ବାୟୁ ପ୍ରସାରିତ ହେବ । ଏହି ପ୍ରସାରିତ ବାୟୁ ଯାଇ ବେଲୁନ୍‌କୁ ଫୁଲାଏ । ଏହାକୁ ଥଣ୍ଡା କଲେ ବେଲୁନ୍ ପୁଣି ପୂର୍ବ ଅବସ୍ଥାକୁ ଫେରିଆସିବ । ଆମେ ଜାଣୁ ଯେ ତାପ ହେଉଛି ଏକପ୍ରକାର ଶକ୍ତି । ଏହା ଗୋଟିଏ ପଦାର୍ଥ ଦେହରୁ ଅନ୍ୟ ପଦାର୍ଥ ଦେହକୁ ଗତିକରେ । ଏହା କିପରି ଗତିକରେ ତାହା ବର୍ତ୍ତମାନ ଆଲୋଚନା କରିବା । ଏହା ସାଧାରଣତଃ ତିନିଗୋଟି ପଦ୍ଧତିରେ ନିକଟସ୍ଥ ଶୀତଳ ବସ୍ତୁ ଦେହକୁ ଗତି କରେ । ସେହି ତିନିଗୋଟି ପଦ୍ଧତି ହେଲା (୧) ପରିବହନ, (୨) ପରିଚଳନ ଓ (୩) ବିକିରଣ ।

 

Image

ନିଜେ କର–ଗୋଟିଏ ଲୁହାଖଡ଼ିକା ନିଅ । ଏହାର ଗୋଟିଏ ମୁଣ୍ଡକୁ ହାତରେ ଧରି ଅନ୍ୟ ମୁଣ୍ଡଟିକୁ ନିଆଁରେ ଦେଖାଅ । ଏହିପରି କିଛି ସମୟ ଦେଖାଇଲା ପରେ ଆମେ ଦେଖିବା ଯେ ଆମ ହାତରେ ଧରିଥିବା ଥଣ୍ଡା ଅଂଶଟି ତାତିବାକୁ ଆରମ୍ଭ କଲାଣି । କିଛି ସମୟ ପରେ ଏହା ଏତେ ଗରମ ହୋଇଯିବ ଯେ ଏହାକୁ ହାତରେ ଧରିବା ସମ୍ଭବପର ହେବ ନାହିଁ । ତାପର ଏହିଭଳି ସଂଚରଣକୁ ଆମେ ପରିବହନ କହିଥାଉଁ ।

 

କାହିଁକି ହୁଏ ? ଲୁହା ଖଡ଼ିକାର ଯେଉଁ ଅଂଶ ନିଆଁ ସଂସ୍ପର୍ଶରେ ଆସିଛି, ତାହା ତାକୁ ଗ୍ରହଣ କରିଥାଏ । ତେଣୁ ଏହି ଅଂଶର ଅଣୁର ହାରାହାରି ଯାନ୍ତ୍ରିକ ଶକ୍ତି ବୃଦ୍ଧିପାଏ । ଫଳରେ ଅଣୁଗୁଡ଼ିକ ଶକ୍ତିସମ୍ପନ୍ନ ହୋଇ କମ୍ପିବାକୁ ଲାଗନ୍ତି । ଏହି କମ୍ପନରତ ଅଣୁ ତା’ ନିକଟସ୍ଥ ଅଣୁକୁ ଶକ୍ତି ଦିଏ ଓ ଖଡ଼ିକାର ପ୍ରାନ୍ତ ପର୍ଯ୍ୟନ୍ତ ଅଣୁ ପ୍ରକମ୍ପିତ ହୁଅନ୍ତି । ଫଳରେ ସମଗ୍ର ଖଡ଼ିକାଟି ତାତି ଯାଏ ।

 

ନିଜେକର–ଛୋଟ କରି ଖଣ୍ଡିଏ ଆଲୁମିନିୟମ୍ ଦଣ୍ଡ ନିଅ । ଏହା ଉପରେ କିଛି ମହମ ଅଳ୍ପ ବହଳ କରି ବୋଳି ଦିଅ । ଏହି ମହମ ଉପରେ ଅଳ୍ପ ଅଳ୍ପ ବ୍ୟବଧାନରେ କିଛି କିଛି ପିନ୍‍କଣ୍ଟା ପୋତିଦିଅ । ବର୍ତ୍ତମାନ ଏହି ଆଲୁମିନିୟମ୍‍ ଦଣ୍ଡରେ ଗୋଟିଏ ମୁଣ୍ଡକୁ ଷ୍ଟାଣ୍ଡ ସହ ଦୃଢ଼ ଭାବରେ ଧରିରଖ । ଅନ୍ୟ ମୁଣ୍ଡକୁ ଏକ ସ୍ପିରିଟ୍‍ ବତୀଦ୍ଵାରା କିଛି ସମୟ ଗରମ କର । କିଛି ସମୟ ଗରମ ହେଲାପରେ ଦେଖିବ ପିନ୍‍କଣ୍ଟାଗୁଡ଼ିକ ଗୋଟିଏ ପରେ ଗୋଟିଏ ପଡ଼ିବାକୁ ଆରମ୍ଭ କରିବ ।

 

ଆମ ମନରେ ପ୍ରଶ୍ନ ଉଠେ ଏପରି କାହିଁକି ହେଲା ?

 

ଆଲୁମିନିୟମ୍ ଦଣ୍ଡ ସ୍ପିରିଟ୍ ବତୀଦ୍ୱାରା ତାତି ଗଲା । ଫଳରେ ତା’ ଦେହରେ ବୋଳା ହୋଇଥିବା ମହମ ତରଳିବାକୁ ଲାଗିଲା ଓ ସେଥ‌ିରେ ପୋତା ହୋଇଥିବା ପିନ୍‍କଣ୍ଟାଗୁଡ଼ିକ ଗଳିବାକୁ ଆରମ୍ଭ କଲା । ଆମେ ଏଥିରୁ କ’ଣ ଜାଣିଲୁ ?

 

ସାଧାରଣତଃ ଧାତୁମାନେ ଅଧିକ ତାପ ପରିବହନ କରନ୍ତି । ମାତ୍ର ସବୁ ଧାତୁର ପରିବହନ କ୍ଷମତା ସମାନ ନୁହେଁ । କେତୋଟି ଧାତୁ ନେଇ ପରୀକ୍ଷା କର । ଲୁହା, ପିତଳ, ଆଲୁମିନିୟମ୍‍ ଓ ତମ୍ବାର ସମାନ ଲମ୍ବ ଓ ସମାନ ଗୋଲେଇ ବିଶିଷ୍ଟ ଚାରିଗୋଟି ଛଡ଼ ନିଆଯାଉ । ଏମାନଙ୍କୁ ଚିତ୍ରରେ ଦେଖାଦେଲା ଭଳି ଗୋଟିଏ ଜାଗାରେ ଯୋଡ଼ାଯାଉ । ପ୍ରତ୍ୟେକ ତାରରେ ସମାନ ବ୍ୟବଧାନରେ କିଛି କିଛି ମହମ ମୁଦି ପିନ୍ଧାଇ ଦିଅ । ତା’ପରେ ଯୋଡ଼ା ହୋଇଥିବା ସ୍ଥାନଟିକୁ ସ୍ପିରିଟ୍‍ ଲ୍ୟାମ୍ପରେ ଗରମ କର । କିଛି ସମୟ ଗରମ କଲାପରେ ମହମମୁଦିଗୁଡ଼ିକ ତରଳି ଗୋଟିକ ପରେ ଗୋଟିଏ ଖସିବ । ଏକ ନିର୍ଦ୍ଦିଷ୍ଟ ସମୟ ପରେ ଦେଖିବ ଯେ ତମ୍ବା ତାରରେ ସବୁଠାରୁ କମ୍ ମୁଦି ଅଛି ଓ ଲୁହା ତାରରେ ସବୁଠାରୁ ଅଧିକ ମୁଦି ଅଛି ।

Image

 

ଏବେ ଚିନ୍ତା କର କେଉଁ ଧାତୁର ତାପ ପରିବହନ କ୍ଷମତା ସବୁଠାରୁ ଅଧିକ । ତମ୍ବାଧାତୁ ସବୁଠାରୁ ଅଧ‌ିକ ପରିମାଣରେ ତାପଶକ୍ତି ପରିବହନ କରିପାରେ । ସେଥ‌ିପାଇଁ ଏହାକୁ ଡେଭିଙ୍କ ନିରାପଦ ବତୀ ପାଇଁ ବ୍ୟବହାର କରାଯାଏ ।

 

ସବୁ ପଦାର୍ଥ ତାପ ପରିବହନ କରିପାରନ୍ତି ନାହିଁ । ଯେଉଁ ପଦାର୍ଥମାନ ତାପ ପରିବହନ କରେ ସେମାନେ ସୁପରିବାହୀ ଓ ଯେଉଁମାନେ ପରିବହନ ନ କରିପାରନ୍ତି ସେମାନେ ହେଲେ କୁପରିବାହୀ । କାଚ, କାଠ, ମାଟି, ପଥର, ଅଙ୍ଗାର, କରତଗୁଣ୍ଡ ଆଦି ତାପ ପରିବହନ କରନ୍ତି ନାହିଁ-। ସେମାନେ ହେଲେ କୁପରିବାହୀ । କଂସା, ପିତ୍ତଳ, ରୂପା, ସୁନା ତମ୍ବା ଆଦି ସୁପରିବାହୀ-। ତୁମେ ଦେଖିଥ‌ିବା କେତୋଟି ନିତିଦିନିଆ ଘଟଣା ବିଷୟରେ ତଳେ ବର୍ଣ୍ଣନା କରାଗଲା । ଏପରି କାହିଁକି ହୁଏ ତୁମେ ଚିନ୍ତା କର ।

 

ମା’ ରୁଟି ସେକିବା ପାଇଁ ବ୍ୟବହାର କରୁଥିବା ରୁଟିସେକାକୁ ଲକ୍ଷ୍ୟ କର । ବେଣ୍ଟରେ କାଠ ଲଗାଯାଇଥାଏ କାହିଁକି ? ସାଧାରଣତଃ ଚିନାମାଟି ବା ମୁଗୁନିପଥର ତିଆରି ଚା’ କପରେ ଚା’ ପିଆଯାଏ । ଶୀତଦିନେ ତୁମେ ପଶମ ପୋଷାକ ବ୍ୟବହାର କର । ବେଶୀ ଲୋମ ବା ପରଥିବା ପଶୁପକ୍ଷୀଙ୍କୁ ଶୀତ ଲାଗେ ନାହିଁ । ପଶୁଲୋମ ବା ପକ୍ଷୀପର ଆଦି ତାପର କୁପରିବାହୀ । ସେଥ‌ିପାଇଁ ବେଶୀ ଲୋମଥିବା ପଶୁ, ପକ୍ଷୀଙ୍କୁ ଶୀତ ଲାଗେ ନାହିଁ ।

Image

ନିଜେକର–ତୁମ ଘରେ ନିଶ୍ଚୟ କାଠ ବେଣ୍ଟ ଥିବା କଟୁରି ଥିବ । ଏକ ଶୀତରାତିରେ ଏହି କଟୁରିଟିକୁ ବାହାରେ ରଖିଦିଅ । ସକାଳେ ଦେଖିବ ଯେ ଏହି କଟୁରିର କାଠ ବେଣ୍ଟ କମ୍ ଥଣ୍ଡା ଲାଗୁଛି ଏବଂ କଟୁରିଟି ଖୁବ୍ ଥଣ୍ଡା ଲାଗୁଛି । କାରଣ ଧାତବ ପଦାର୍ଥ ଯେତେ ଶୀଘ୍ର ତାପ ଗ୍ରହଣ କରେ ସେତେ ଶୀଘ୍ର ତାପ ପରିତ୍ୟାଗ କରେ ।

 

ତୁମେ ଲକ୍ଷ୍ୟ କରିବ ଯେ ବରଫକୁ କୁଟା ବା କୁଣ୍ଡା ଭିତରେ ରଖାଯାଇଥାଏ । ଏହି କୁଟା ବା କୁଣ୍ଡା ବାୟୁର କୁପରିବାହୀ ଅଟେ । ଫଳରେ ଏହି ବରଫ ବାହାରୁ ତାପଶକ୍ତି ପାଇପାରେ ନାହିଁ । ତେଣୁଏହା ତରଳିପାରେ ନାହିଁ । ବହୁ ସମୟ ପର୍ଯ୍ୟନ୍ତ କଠିନ ବରଫ ହୋଇ ରହିଥାଏ । ସେହିପରି ଏହା ମଧ୍ୟ ବାହାରକୁ ତାପଶକ୍ତି ଛାଡ଼ିପାରେ ନାହିଁ ।

 

ତୁମେ ଜାଣିଥ‌ିବା କେତୋଟି କୁପରିବାହୀ ଓ ସୁପରିବାହୀର ତାଲିକା କର ।

 

ପରିଚଳନ–କଠିନ ପଦାର୍ଥ ପରି ତରଳ ଓ ଗ୍ୟାସୀୟ ପଦାର୍ଥର ମଧ୍ୟ ତାପ ସଞ୍ଚରିତ ହୁଏ । ଏହାକୁ ପରିଚଳନ କୁହାଯାଏ । ତୁମ ମା’ ଚୁଲି ଉପରେ ବସାଇଥିବା ଭାତ ହାଣ୍ଡିକୁ ଲକ୍ଷ୍ୟ କର । ଦେଖିବ ପ୍ରଥମେ ଚୁଲିକୁ ଲାଗିଥିବା ତଳଅଂଶର ଜଳ ତାତି ଭୁଟୁଭୁଟୁ ହୋଇ ଉପରକୁ ଉଠୁଛି ଓ ଉପରର ଥଣ୍ଡା ଜଳ କିପରି ତଳକୁ ଯାଉଛି ।

 

ନିଜେକର–ଏକ କାଚପାତ୍ରରେ କିଛି ଜଳ ନିଅ । ଏହି ଜଳରେ କିଛି ପଟାସିୟମ ପରମାଙ୍ଗାନେଟ୍ ପକାଇ ଦିଅ । ଏହାକୁ ଏକ ସ୍ପିରିଟ୍ ଲ୍ୟାମ୍ପଦ୍ୱାରା ଗରମ କର । କିଛି ସମୟ ଗରମ ହେଲା ପରେ ଅଣୁର ତଳ ଉପର ଗୁଡ଼ିକୁ ଲକ୍ଷ୍ୟ କର ।

Image

 

ଏଠାରେ ଅଣୁଗୁଡ଼ିକ ସ୍ଥାନାନ୍ତରିତ ହୋଇ ତାପ ସଞ୍ଚରଣରେ ସାହାଯ୍ୟ କରନ୍ତି । ପ୍ରାୟ ସମସ୍ତ ତରଳ ଓ ଗ୍ୟାସୀୟ ପଦାର୍ଥ ଏହି ପ୍ରଣାଳୀରେ ଉତ୍ତପ୍ତ ହୋଇଥାଏ । ମାତ୍ର ପାରଦରେ ଏହି ପ୍ରଣାଳୀରେ ତାପ ସଞ୍ଚରଣ ହୁଏ ନାହିଁ । ଏହି ପରିଚଳନ କ୍ରିୟା ଯୋଗୁଁ ବାୟୁମଣ୍ଡଳର ବାୟୁ ପ୍ରବାହିତ ହୁଏ । ତୁମେ ଲକ୍ଷ୍ୟ କରିଥିବ ଖରାଦିନେ ତୁମ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ।

 

କାହିଁକି ହୁଏ ? (୧) ଖରାଦିନେ ବାୟୁ ଉତ୍ତପ୍ତ ହୋଇ ହାଲୁକା ହୋଇ ଉପରକୁ ଉଠିଯାଏ । ଏହାର ସ୍ଥାନ ପୂରଣ କରିବା ଲାଗି ତା’ ଚାରିପାଖର ଶୀତଳବାୟୁ ଅଧ‌ିକ ବେଗରେ ସେ ସ୍ଥାନକୁ ପ୍ରବାହିତ ହୁଏ । ଯାହାକୁ ଆମେ କହୁ ଘୂର୍ଣ୍ଣିବାତ୍ୟା ।

 

Image

 

(୨) ସମୁଦ୍ର କୂଳରେ ଦିନବେଳା ଜଳଭାଗରୁ ଶୀତଳ ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ଏହାର କାରଣ ହେଉଛି ଦିନବେଳା ସ୍ଥଳଭାଗର ବାୟୁ ଅଧିକ ଉତ୍ତପ୍ତ ହେବା ଫଳରେ ହାଲୁକା ହୋଇ ଉପରକୁ ଉଠିଯାଏ । ତାହାର ସ୍ଥାନ ପୂରଣ କରିବା ଲାଗି ଜଳଭାଗର ଶୀତଳ ଓ ଭାରି ବାୟୁ ସ୍ଥଳଭାଗକୁ ପ୍ରବାହିତ ହୁଏ ।

 

(୩) ରାତିରେ ଜଳଭାଗର ବାୟୁ ଶୀଘ୍ର ଉତ୍ତପ୍ତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଯାଏ । ସ୍ଥଳଭାଗ ଆଡ଼ୁ ଶୀତଳ ବାୟୁ ସମୁଦ୍ର ଆଡ଼କୁ ପ୍ରବାହିତ ହୁଏ ।

 

Image

 

(୪) ତୁମ ସାଇକେଲକୁ ଅନେକ ସମୟ ଧରି ଖରାରେ ରଖିଲେ ବେଳେବେଳେ ଏହାର ଟ୍ୟୁବ୍ ଫାଟିଯାଏ । କାରଣ ଏହା ମଧ୍ୟରେ ଥିବା ବାୟୁ ତାପ ପାଇଲେ ପ୍ରବାହିତ ହୁଏ ଓ ଟ୍ୟୁବ୍‌କୁ ଫଟାଇ ଦିଏ ।

 

ତୁମେ ସବୁ ଜାଣିଥିବ ଏସ୍କିମୋମାନେ ମେରୁ ଅଞ୍ଚଳରେ ବରଫକୁ କାଟି ଘର କରି ରହିଥାଆନ୍ତି । ବରଫର କାନ୍ଥ ହେଲେ ମଧ୍ୟ ତାଙ୍କ ଘରଭିତରଟା ବେଶ୍ ଉଷୁମ ଥାଏ । କାରଣ ସେମାନେ ବରଫରେ ଦୁଇ ପରସ୍ପର କାନ୍ଥ ଦେଇଥାନ୍ତି । ଦୁଇ ପରସ୍ତ ମଧ୍ୟରେ ଅଳ୍ପ କିଛି ଫାଙ୍କ ରହିଥାଏ । ଏହି ଫାଙ୍କରେ ବାୟୁ ରହିଥାଏ । ବାୟୁ ହେଉଛି ତାପର କୁପରିବାହୀ । ତେଣୁ ଏହା ମଧ୍ୟଦେଇ ତାପ ସଞ୍ଚରଣ ହୋଇପାରେ ନାହିଁ । ଫଳରେ ବାହାରର ଥଣ୍ଡା ସେମାନଙ୍କ ଘର ଭିତରକୁ ଆସିପାରେ ନାହିଁ ।

 

(୨) ସେହିପରି ଆମ ଘରେ ବ୍ୟବହାର ହେଉଥ‌ିବା ଶୀତଳ (ଫ୍ରିଜ୍)ର ବାହାର ପଟେ ମୋଟା ଫାଇବର ଦିଆଯାଇଥାଏ । ଏହାଦ୍ଵାରା ବାହାରର ତାପ ଫ୍ରିଜ୍ ମଧ୍ୟକୁ ଯାଇପାରେ ନାହିଁ ।

 

ଚୁଲି ପାଖରେ ବସିଲେ ଆମେ ଗରମ ଅନୁଭବ କରୁ । ଅଧିକାଂଶ ଲୋକେ ଶୀତଦିନେ ଘରକୁ ଗରମ ରଖିବା ପାଇଁ ଘରେ ନିଆଁଉହ୍ମେଇ, ରୁମ୍ ହିଟର ଆଦି ରଖିଥାଆନ୍ତି । ଘରେ ଭଲଭାବରେ ବାୟୁ ଚଳାଚଳ ପାଇଁ ଝରକା ଓ ସ୍କାଇଲାଇଟ୍‌ମାନ ରଖାଯାଇଥାଏ । ଜଳ ପରି ବାୟୁର ପରିଚଳନ ତୁମେ ନିଜେ ମଧ୍ୟ କରିପାରିବ ।

 

(୧) ଗୋଟିଏ ବାକ୍‌ସ ନିଆଯାଉ । ଏହାର ଗୋଟିଏ ପାଖ କାଚଦ୍ୱାରା ତିଆରି ହୋଇଥିବ । ଉପରେ ଦୁଇଟି କଣା କରି ସେଥିରେ ଦୁଇଟି ଚିମ୍‌ନି ଲଗାଅ । ଚିତ୍ରରେ ଦେଖା ଦେଲା ଭଳି ଗୋଟିଏ ଚିମ୍‌ନି ତଳେ ଗୋଟିଏ ମହମବତୀ ଜଳାଅ । ଯେଉଁ ଚିମ୍‌ନି ତଳେ ମହମବତୀ ଜଳିବ, ସେହି ଚିମ୍‌ନିର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଯିବ । ଏହାର ସ୍ଥାନ ପୂରଣ କରିବା ପାଇଁ ଅନ୍ୟ ଚିମ୍‌ନି ଦେଇ ବାୟୁ ଆସିବ । ବାୟୁ ଆସୁଥ‌ିବା ଚିମ୍‍ନି ମୁହଁରେ ଏକ ବତୀ ଜଳାଇ ଏହାକୁ ପରୀକ୍ଷା କର ।

Image

(୨) ତୁମ ଘରେ ତୁମେ ଅତି ସହଜରେ ଏହାକୁ ପରୀକ୍ଷା କରିପାରିବ । ଦୁଇଟି ମହମବତୀ ଆଣ । ତୁମ ଖୋଲା ଦୁଆର ମୁହଁରେ ଗୋଟିକୁ ଦୁଆର ବନ୍ଧ ଉପରେ ଓ ଅନ୍ୟଟିକୁ ଦୁଆର ବନ୍ଧର ତଳେ ଜଳାଅ । କିଛି କ୍ଷଣ ପରେ ଲକ୍ଷ୍ୟକର ଶିଖା କେଉଁପଟକୁ ଢଳିଛି । ଦେଖିବ ଯେ ଉପରେ ଜଳୁଥିବା ମହମବତୀର ଶିଖା ବାହାରକୁ ଢଳିଛି ଓ ତଳେ ଜଳୁଥ‌ିବା ମହମବତୀର ଶିଖା ଭିତରକୁ ଢଳିଛି । ଏହାର କାରଣ ହେଉଛି ଘର ଭିତରର ଅପେକ୍ଷାକୃତ ଉଷ୍ମ ଓ ଦୂଷିତ ବାୟୁ ହାଲୁକାହୋଇ ଉପରବାଟ ଦେଇ ବାହାରିଗଲା । ବାହାରୁ ଶୀତଳ ବାୟୁ ଦୁଆର ମୁହଁର ତଳଦେଇ ଭିତରକୁ ପ୍ରବେଶ କଲା । ଏସବୁ ପରିଚଳନର କଥା । ଏବେ ବିକିରଣ ବିଷୟରେ କିଛି ଦେଖିବା ।

Image

ବିକିରଣ–(୧) ତୁମେ ମଧ୍ୟାହ୍ନ ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣରେ କିଛି ସମୟ ଛିଡ଼ା ହୋଇଯାଅ ।

 

(୨) ଦେଖିବ ତୁମକୁ ଖୁବ୍ ଗରମ ବୋଧ ହେବ । ଏଥିରୁ ଆମେ ଜାଣିଲୁ ଯେ ସୂର୍ଯ୍ୟ ଆମଠାରୁ ବହୁ ଦୂରରେ ଥିଲେ ମଧ୍ୟ ତାଙ୍କ କିରଣର ତାପ ଆମ ପାଖକୁ ସହଜରେ ଆସିପାରୁଛି । ସୂର୍ଯ୍ୟଙ୍କଠାରୁ ପୃଥ‌ିବୀ କୋଟି କୋଟି କିଲୋମିଟର ଦୂରରେ ଅବସ୍ଥିତ । ଏହା ମଧ୍ୟରେ କୌଣସି ମାଧ୍ୟମ ନାହିଁ । ତେଣୁ ଏଠାରେ ବିନା ମାଧ୍ୟମରେ ତାପ ସଞ୍ଚରଣ ହୋଇପାରିଲା । ଏହାକୁ ଆମେ କହୁ ବିକିରଣ । ଆମେ ଜାଣିଲୁ ଯେ ଆଲୋକ ଏକ ସେକେଣ୍ଡକୁ ପ୍ରାୟ ତିନିଲକ୍ଷ କିଲୋମିଟର ବେଗରେ ଗତି କରେ । ବିକିରଣ ପଦ୍ଧତିରେ ତାପ ମଧ୍ୟ ଶୂନ୍ୟରେ ଆଲୋକ ବେଗରେ ଗତି କରି ଆମ ପାଖରେ ପହଞ୍ଚିପାରେ ।

 

ମନେରଖ–(୧) ଖରାଦିନେ ନଦୀପାଣି ଏହି ବିକିରଣ ଯୋଗୁଁ ଗରମ ହୋଇଥାଏ ।

 

(୨) କୌଣସି ଗରମ ପଦାର୍ଥକୁ କିଛି ସମୟ ରଖିଲେ ଏହା ତାପ ବିକିରଣ କରି ଥଣ୍ଡା ହୋଇଯାଏ ।

 

ନିଜେକର–

Image

 

(୧) ଗୋଟିଏ ଟେବୁଲ୍ ଲାଇଟ୍‌ ଜଳାଇ ଦିଅ ।

 

(୨) ଲାଇଟ୍‍ଠାରୁ କିଛିବାଟ ଛାଡ଼ି ତୁମର ହାତ ଦେଖାଅ ।

 

(୩) ଦେଖିବ ଯେ ତୁମ ହାତ ଉଷୁମ ଲାଗିବ ।

 

ଏହା ହେଉଛି ବିକିରଣର ଏକ ଦୃଷ୍ଟାନ୍ତ ।

 

କାରଣ ବାୟୁ ଭଲ ଭାବରେ ତାପ ପରିବହନ କରିପାରେ । ତେଣୁ ଏସବୁ ବିକିରଣର କାମ । ଏହି ବିକିରଣ ଯୋଗୁଁ ଆମେ ଜଳନ୍ତା ଚୁଲି, ଡିବି, ଲଣ୍ଠନ ପାଖରେ ବସିଲେ ଉଷୁମ ଅନୁଭବ କରୁ ।

 

ସବୁ ପଦାର୍ଥର ତାପ ବିକିରଣ ଶକ୍ତି ସମାନ ନୁହେଁ ।

 

(୧) ତରଳ ପଦାର୍ଥ ଅପେକ୍ଷା କଠିନ ପଦାର୍ଥ ଶୀଘ୍ର ତାପ ବିକିରଣ କରିପାରେ ।

 

(୨) କଳାରଙ୍ଗର ପଦାର୍ଥ ଧଳାରଙ୍ଗର ପଦାର୍ଥ ଅପେକ୍ଷା ଖୁବ୍‍ ଶୀଘ୍ର ତାପ ବିକିରଣ କରେ ।

 

(୩) ମସୃଣ ପଦାର୍ଥ ବନ୍ଧୁର ପଦାର୍ଥ ଅପେକ୍ଷା ଶୀଘ୍ର ତାପ ବିକିରଣ କରିପାରେ ।

 

(୪) ଉତ୍ପତ୍ତି ସ୍ଥଳରୁ ତାପ ବିକିରଣଦ୍ଵାରା ସମ ଭାବରେ ସବୁ ଦିଗକୁ ସରଳରେଖାରେ ଗତି କରେ ।

 

(୫) କଳାବର୍ଣ୍ଣ ପୃଷ୍ଠର ତାପ ବିକିରଣ ଧଳାବର୍ଣ୍ଣ ପୃଷ୍ଠର ତାପ ବିକିରଣଠାରୁ ଅଧିକ ।

 

ନିଜେକର–

 

(୧) ଦୁଇଟି ସମଆକାର ବିଶିଷ୍ଟ ସିଗାରେଟ ଟିଣ ନିଅ ।

 

(୨) ଗୋଟିକୁ ଧୂଆଁ ଦେଖାଇ କଳା କରିଦିଅ ।

 

(୩) କିଛି ଗରମ ଜଳ ନେଇ ଦୁଇଟିଯାକ ପାତ୍ରରେ ସମପରିମାଣରେ ଢାଳି ଦିଅ ।

 

(୪) ଢାଙ୍କୁଣି ଦେଇ ଦୁଇଟିଯାକ ଟିଣର ମୁହଁ ବନ୍ଦ କର ।

 

(୫) ପ୍ରତ୍ୟେକରେ ଗୋଟିଏ ଲେଖାଏଁ ତାପମାନଯନ୍ତ୍ର ରଖି ତା’ର ତାପମାତ୍ରା ମାପ ।

 

(୬) ପ୍ରତି ପାଞ୍ଚମିନିଟରେ ତାପମାନ ଯନ୍ତ୍ରକୁ ଲକ୍ଷ୍ୟ କର ।

 

ଦେଖିବ ଯେ କଳାଟିଣର ଜଳ ଅପେକ୍ଷାକୃତ ଶୀଘ୍ର ଥଣ୍ଡା ହୋଇଯାଉଛି ।

 

ଚିନ୍ତା କର–କଳା ପୋଷାକ ପିନ୍ଧି ଖରାରେ ବୁଲି ଆସିଲେ ଶୀଘ୍ର ଗରମ ହୁଏ । ମାତ୍ର ଧଳା ପୋଷାକରେ ଶୀଘ୍ର ଗରମ ହୁଏ ନାହିଁ । କାହିଁକି ? କାହିଁକି କ୍ରିକେଟ୍ ଖେଳାଳୀମାନେ ଧଳା ପୋଷାକ ପିନ୍ଧନ୍ତି ?

 

ତୁମେ ସବୁ ଥର୍ମୋଫ୍ଲାସ୍କ ସହ ଅଳ୍ପ ବହୁତ ପରିଚିତ । ଏଥିରେଗରମ କ୍ଷୀର ଏବଂ ଚା’ ରଖା ହେବାର ଜାଣିଥିବ । କାରଣ ଏଥିରେ ଥଣ୍ଡା ବା ଗରମ ଜିନିଷ ଅଧିକ ସମୟ ଧରି ରହିଥାଏ-। ଏହା ଏପରି ଭାବେ ତିଆରି ହୋଇଥାଏ ଯେ ଏଥିରେ ପରିବହନ, ପରିଚଳନ ଓ ବିକିରଣ ପଦ୍ଧତିରେ ତାପ ସଞ୍ଚରଣ ନ ହେବାର ବ୍ୟବସ୍ଥା ଥାଏ । ଫଳରେ ଏଥ‌ିରେ ଥ‌ିବା ପଦାର୍ଥର ତାପ ଓ ତାପମାତ୍ରାର ପରିବହନ ହୁଏ ନାହିଁ ।

 

ତାପ ପାଇଲେ କଠିନ ପଦାର୍ଥ ତରଳ ଓ ଗ୍ୟାସୀୟ ହୁଏ । ସେହିପରି ତାପ ହରାଇ ତରଳ ପଦାର୍ଥ କଠିନ ହୁଏ ଓ ଗ୍ୟାସୀୟ ପଦାର୍ଥ ତରଳ ହୁଏ । ପଦାର୍ଥ କିପରି ତରଳେ ବର୍ତ୍ତମାନ ସେ ବିଷୟରେ କିଛି ଆଲୋଚନା କରିବା ।

 

(୧) ଗୋଟିଏ ବିକିରଣରେ କିଛି ବରଫ ରଖ ।

 

(୨) ବରଫର ତାପମାତ୍ରାକୁ ଥର୍ମୋମିଟର ଦ୍ୱାରା ମାପିନିଅ ।

 

(୩) ଏହି ବରଫପୂର୍ଣ୍ଣ ବିକିରଣକୁ ଅଳ୍ପ ତାପମାତ୍ରାରେ ରଖି ଗରମ କର । ସମସ୍ତ ବରଫ ତରଳିବା ପର୍ଯ୍ୟନ୍ତ ଥର୍ମୋମିଟରରେ ତାପମାତ୍ରାକୁ ଲକ୍ଷ୍ୟ କର । ଦେଖିବ ଯେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବରଫ ତରଳିବାକୁ ଆରମ୍ଭ କରିବ । ଏହାକୁ ତା’ର ଗଳନାଙ୍କ ବୋଲି କୁହାଯାଏ । ବରଫର ଗଳନାଙ୍କ ଶୂନଡିଗ୍ରୀ ସେଲ୍‍ସିୟସ୍ ଅଟେ । ଯେ କୌଣସି ପଦାର୍ଥକୁ ଗରମ କଲେ ଏହା ତରଳିବା ପର୍ଯ୍ୟନ୍ତ ତା’ର ତାପମାତ୍ରା ଆଉ ବଢ଼େ ନାହିଁ । ପଦାର୍ଥରେ ଥ‌ିବା ପରମାଣୁଗୁଡ଼ିକ ତାପ ପାଇ ତା’ର ନିର୍ଦ୍ଦିଷ୍ଟ ଜାଗା ଛାଡ଼ି ଏଣେତେଣେ ବୁଲିବାକୁ ଲାଗନ୍ତି । ଫଳରେ ଅଣୁ ଅଣୁ ମଧ୍ୟରେ ଆକର୍ଷଣ କମେ । କଠିନ ପଦାର୍ଥ ତରଳରେ ପରିଣତ ହୁଏ । ଯେଉଁ ତାପମାତ୍ରାରେ କଠିନ ପଦାର୍ଥ ତରଳରେ ପରିଣତ ହୁଏ ତାହାକୁ ଗଳନାଙ୍କ କୁହନ୍ତି । ପ୍ରତ୍ୟେକ ପଦାର୍ଥର ନିର୍ଦ୍ଦିଷ୍ଟ ଗଳନାଙ୍କ ଅଛି ।

 

କେତେଗୋଟି ପଦାର୍ଥର ଗଳନାଙ୍କ ନିମ୍ନରେ ଦିଆଗଲା ।

 

ଲୁହା–୧୫୩୫ (୦°ସେ)

 

ତମ୍ବା-୧୦୮୨ (୦°ସେ)

 

ନିଜେକର–ଖଣ୍ଡିଏ ବରଫ ଆଣି ଟେବୁଲ୍‍ ଉପରେ ରଖ । ଦେଖିବ ଯେ କିଛି ସମୟ ପରେ ଏହା ଆପେ ତରଳିବାକୁ ଆରମ୍ଭ କରିବ । ତେବେ ମନରେ ପ୍ରଶ୍ନ ଉଠେ ଏହା ତାପ କେଉଁଠାରୁ ପାଇଲା । ଏହା ତା’ର ଚାରିପଟର ବାୟୁରୁ ତାପ ଗ୍ରହଣ କଲା ଓ ତରଳିବାକୁ ଲାଗିଲା-। ତୁମେ ଲକ୍ଷ୍ୟ କରିଥିବ ଖଣ୍ଡିଏ ବରଫ ଯେଉଁଠାରେ ରଖାଯାଏ ତାହାର ଚାରିପଟ ଏଥିପାଇଁ ଥଣ୍ଡା ଲାଗେ ।

 

କାଗଜ ପାତ୍ରରେ ପାଣି ଗରମ କର:–

 

ଫର୍ଦ୍ଦେ କାଗଜ ଆଣ । ଏହାକୁ ଆଲ୍‌ପିନ୍ ମାରି ଏକ ଡବା ଆକୃତିର କର । ଏଥିରେ କିଛି ପାଣି ନିଅ । ଏହି କାଗଜପାତ୍ରର ପାଣିକୁ ଏକ ବତୀଦ୍ୱାରା ଗରମ କର । ଦେଖିବ ଯେ ଆଶ୍ଚର୍ଯ୍ୟ ଭାବେ କାଗଜଟି ପୋଡ଼ିବ ନାହିଁ । ଏହାର କାରଣ ହେଲା ଯେ କାଗଜ ତା’ର ତାପମାତ୍ରାକୁ ଜଳକୁ ପରିବାହିତ କରିଦେଲା । ଫଳରେ ଏହା ଜଳିପାରିଲା ନାହିଁ ।

 

ବିଭିନ୍ନ ପଦାର୍ଥ ଭିନ୍ନ ଭିନ୍ନ ତାପମାତ୍ରାରେ ତରଳେ । ପଦାର୍ଥର ଏହି ଗୁଣକୁ ଭିତ୍ତି କରି ଖଣିଜତୈଳରେ ଥିବା ମହମ, ଡିଜେଲ୍, ପେଟ୍ରୋଲ, କିରୋସିନି ଆଦିକୁ ଆମେ ପାଇପାରୁ । ଏହାର ବାଷ୍ପଗୁଡ଼ିକୁ ଆମେ ଅଲଗା ଅଲଗା ସଂଗ୍ରହ କରୁ । ଏହାକୁ ଶୀତଳ କରୁ । ଶୀତଳ ହେଲେ ଏହା ଘନିଭୂତ ହୋଇ ପୁଣି ସେହି ପଦାର୍ଥମାନ ପାଲଟି ଯାଏ ।

 

ଖଣ୍ଡିଏ ବରଫ ନିଅ । ତାକୁ ତରଳାଇବା ପାଇଁ ତାପ ପ୍ରୟୋଗ କର । ଦେଖିବ ବରଫ ତାପ ଗ୍ରହଣ କରି ତରଳୁ ଥିବା ଅବସ୍ଥାରେ ତା’ର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି କିଛି ପାଣି ଏକ ପାତ୍ରରେ ନିଅ । ପାଣିକୁ ତାପ ପ୍ରୟୋଗ କରି ଗରମ କର । ଜଳ ଫୁଟିବାକୁ ଆରମ୍ଭ କଲା ପର୍ଯ୍ୟନ୍ତ ତା’ର ତାପର ଆଉ ପରିବର୍ତ୍ତନ ହେବ ନାହିଁ । ଏହି ତାପ ପଦାର୍ଥର ଅବସ୍ଥା ପରିବର୍ତ୍ତନବେଳେ ତା’ ମଧ୍ୟରେ ଗୁପ୍ତ ଭାବରେ ରହିଥାଏ । ଏହାକୁ ଆମେ ଗୁପ୍ତ ତାପ କହିଥାଉ ।

 

ଆମେ ମୋଟ ଉପରେ ଜାଣିଲୁ ଯେ, ତାପ ହେଉଛି ଏକପ୍ରକାର ଶକ୍ତି । ଆଜିକାଲି ତାପଶକ୍ତିକୁ ବିଭିନ୍ନ ଶକ୍ତିରେ ପରିଣତ କରାଯାଇ ନାନାପ୍ରକାର କାମରେ ଲଗା ଯାଉଛି ।

 

ଶେଷ

 

ଆମେରିକା ପରି ଉନ୍ନତ ଦେଶମାନଙ୍କରେ ସୌରଶକ୍ତିକୁ ବହୁତ କାମରେ ଲଗାଇଲେଣି-। ସେମାନେ ସୌରଶକ୍ତି ବଳରେ ରେଡ଼ିଓ ଚଳାନ୍ତି । ଏହି ରେଡ଼ିଓକୁ ସୂର୍ଯ୍ୟଙ୍କ କିରଣରେ କିଛି ସମୟ ରଖିଲେ ଏହା ଶକ୍ତିସଞ୍ଚୟ କରି ଦିନସାରା ବାଜିପାରିବ । ଏହି ରେଡ଼ିଓ ପାଇଁ ବେଟେରୀ ଦରକାର ନାହିଁ । ଏହା ଛଡ଼ା ସୌରଶକ୍ତିରେ ଫ୍ରିଜ୍ ଚଳାଇବା, ଘର ଉଷୁମ ରଖିବା, ଖାଦ୍ୟକୁ ଅତୁଟ ରଖିବା, କୃତ୍ରିମ ପାଗ ପରିବର୍ତ୍ତନ କରିବାରେ ଏହି ସୌରଶକ୍ତିକୁ ମଧ୍ୟ ସେମାନେ ବ୍ୟବହାର କଲେଣି ।

Image

Image

ସେହିପରି ଆମ ମାଟିମା ଗର୍ଭରେ ମଧ୍ୟ ପ୍ରଚୁର ତାପଶକ୍ତି ରହିଛି । ଆମ ପୃଥବୀ ସୃଷ୍ଟିରୁ ବୈଜ୍ଞାନିକମାନେ ଜାଣିଛନ୍ତି ଯେ, ଏହା ମଧ୍ୟରେ ବହୁତ ତାପଶକ୍ତି ରହିଛି । ବର୍ତ୍ତମାନ ଏହି ତାପଶକ୍ତିକୁ କାମରେ ଲଗାଇବା ପାଇଁ ସେମାନେ ନାନା ଉପାୟ ଚିନ୍ତା କରୁଛନ୍ତି । ଦିନ ଆସିବ ଏହି ତାପଶକ୍ତି ମଧ୍ୟ ମଣିଷ ସେବାରେ ଲାଗିପାରିବ ।

 

ତାପ ଉପରେ ଜାଣିବାକୁ ଆହୁରି ବହୁତ କଥା ଅଛି । ସେସବୁ ତୁମେ ଉପର ଶ୍ରେଣୀରେ ପାଠ ପଢ଼ିଲେ ଜାଣିବ ।

Image